ଭୁବନେଶ୍ୱର,୨୧/୦୮: କୃଷି ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଲେ କୃଷି ବିଭାଗର ପ୍ରମୁଖ ସଚିବ । ମାସ ଶେଷ ସୁଦ୍ଧା କାମରେ ଯୋଗ ଦେବାକୁ ଅଲଟିମେଟମ ଦିଆଯାଇଛି । ନଚେତ୍ ନିର୍ଦ୍ଦେଶ ଖିଲାପକାରୀଙ୍କ ଦରମା ବନ୍ଦ ହେବ । ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ଡ.ଅରବିନ୍ଦ କୁମାର ପାଢୀ।
ସେ ଏକ ଆଦେଶନାମା ଜାରି କରି କହିଛନ୍ତି ଯେ, ସମସ୍ତ ପଦୋନ୍ନତିପ୍ରାପ୍ତ ବା ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ଉଚିତ୍ । କୌଣସି ପରିସ୍ଥିତିରେ ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ । ଅଗଷ୍ଟ ୩୧ ସୁଦ୍ଧା ତାଙ୍କ ନିଯୁକ୍ତ ସ୍ଥାନରେ ଯୋଗ ଦେବାରେ ବିଫଳ ହୋଇଥିବା କୌଣସି ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିରେ ସେହି ଅଧିକାରୀ ହିଁ ଦାୟୀ ରହିବେ । ଏପରି କି ଅଧିକାରୀମାନଙ୍କର ଦରମା ମଧ୍ୟ ସେପ୍ଟେମ୍ବର ମାସରୁ ବନ୍ଦ କରାଯିବ। ସେହିପରି ପୋଷ୍ଟିଂ ଆଦେଶର ପରିବର୍ତ୍ତନ ପାଇଁ ଅନୈତିକ ବାହ୍ୟ ପ୍ରଭାବ ଆଣିବାର ପ୍ରୟାସ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତେଇ ଦେଇଛନ୍ତି। ଏନେଇ କୃଷି ନିର୍ଦ୍ଦେଶାଳୟ, କ୍ଷେତ୍ର ପ୍ରତିଷ୍ଠାନର ମୁଖ୍ୟ ଅଧିକାରୀମାନଙ୍କୁ ଆଦେଶର ଅନୁପାଳନ ଉପରେ ନଜର ରଖିବାକୁ ଏବଂ କାର୍ଯ୍ୟସ୍ଥଳରେ ଯୋଗଦାନ ନ ଦେଉଥିବା ମାମଲା ଗୁଡ଼ିକୁ ବିଭାଗରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତୃଣମୂଳ ସ୍ତରରେ କାର୍ଯ୍ୟାଳୟଗୁଡ଼ିକର ସୁଗମ କାର୍ଯ୍ୟ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଥିବା କୁହାଯାଇଛି।